ସବୁବର୍ଷ ଦୀପାବଳିରେ କର୍ମଚାରୀଙ୍କୁ ବୋନସରେ କାର ଓ ଫ୍ଲାଟ ଦେଉଥିବା ସାବଜୀ ଏଥର କଣ ଦେବେ?

ସବୁବର୍ଷ କର୍ମଚାରୀଙ୍କୁ ବୋନସରେ କାର ଓ ଫ୍ଲାଟ ଦେଇ ଚର୍ଚ୍ଚାରେ ରହୁଥିବା ସାବଜୀ ଏଥର ଦୀପାବଳିରେ ନିଜ କର୍ମଚାରୀଙ୍କୁ କଣ ଦେବେ। ଏଥିପାଇଁ ସାରାଦେଶର ନଜର ଏବେ ସୁରାଟର ହୀରା ବ୍ୟବସାୟୀ ସାବଜୀ ଢୋଲକିଆ (ସବାଜୀଭାଇ ଧନଜୀଭାଇ ଢୋଲକିଆ)ଙ୍କ ଉପରେ ରହିଛି। ପ୍ରତିବର୍ଷ ଦୀପବଳି ବୋନସରେ ସାବଜୀ ତାଙ୍କ ଶ୍ରୀ ହରେକୃଷ୍ଣ ଏକ୍ସପୋର୍ଟର କର୍ମଚାରୀଙ୍କୁ କାର ଓ ଫ୍ଲାଟ ଭଳି ମହଙ୍ଗା ବୋନସ ଦେଇଥାନ୍ତି। ଖାସକରି ଚଳିତବର୍ଷ ସାବଜୀଙ୍କ କର୍ମଚାରୀ ବୋନସରେ କ’ଣ ପାଇବେ, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଏବର୍ଷର ଆର୍ଥିକ ମାନ୍ଦାବସ୍ଥା ଯୋଗୁ ସାବଜୀ ତାଙ୍କ କର୍ମଚାରୀଙ୍କୁ ସେଭଳି କୌଣସି ଆଖିଦୃଶିଆ ବୋନସ ନେଉନଥିବା ସୂଚନା ମିଳିଛି। ସାବଜୀଙ୍କ କହିବା ଅନୁସାରେ ମାନ୍ଦାବସ୍ଥାର ପ୍ରଭାବ ସୁରାଟର ଡାଇମଣ୍ଡ ବଜାରରେ ଗୁରୁତର ଭାବରେ ପ୍ରଭାବିତ କରିଛି। ତେଣୁ କର୍ମଚାରୀଙ୍କ ୪୦ ପ୍ରତିଶତ ପର୍ଯ୍ୟନ୍ତ ବେତନ ହ୍ରାସ କରାଯିବ। ବଜାରରେ ମାନ୍ଦାବସ୍ଥା ଯୋଗୁ ଉପୁଜିଥିବା ପରିସ୍ଥିତିରେ କର୍ମଚାରୀଙ୍କ ଚାକିରୀ ଅଛି ତାହା ହିଁ ସବୁଠୁ ବଡ କଥା ବୋଲି ସେ ମତ ଦେଇଛନ୍ତି।

ପରିସ୍ଥିତି ଏପରି ହୋଇଛି ଯେ ୭ ମାସରେ ଦେଶର ଡାୟମଣ୍ଡ ସିଟି ଭାବେ ଜଣାସୁଣା ସୁରାଟରେ ୨୦ ପ୍ରତିଶତ ହୀରା କମ୍ପାନୀ ସେମାନଙ୍କ କାରବାର ବନ୍ଦ କରିଦେଇଛନ୍ତି। ଏଥର ଦୀପାବଳିରେ ଶ୍ରୀ ହରେକୃଷ୍ଣ ଏକ୍ସପୋର୍ଟ କମ୍ପାନୀର କର୍ମଚାରୀଙ୍କୁ ପୂର୍ବବର୍ଷମାନଙ୍କ ଭଳି ମହଙ୍ଗା ବୋନସ ଦେଇ ନପାରନ୍ତି।

error: Content is protected !!