ଗାଡି ଚାଳକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ ଆଉ କେତେ ମାସ କୋହଳ ହେଲା ଟ୍ରାଫିକ ନିୟମ

ଗାଡି ଚାଳକଙ୍କ ପୁଣି ଖୁସି ଖବର। ଖାସକରି ଯେଉଁମାନେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ ଦରକାରୀ ଗାଡ଼ି କାଗଜପତ୍ର ବାହାର କରି ନାହାନ୍ତି, ସେମାନଙ୍କ ପାଇଁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଏହି ବିଷୟକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା।ରାଜ୍ୟ ସରକାର ଟ୍ରାଫିକ ନିୟମ ଲାଗୁ କ୍ଷେତ୍ରରେ କୋହଳ ସମୟସୀମାକୁ ଆଉ ତିନି ମାସ ବୃଦ୍ଧି କରିଛନ୍ତି।

ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା କାଗଜପତ୍ର ଯାଞ୍ଚ ପୁଣି ତିନି ମାସ ଘୁଞ୍ଚିଯାଇଛି। ଆସନ୍ତା ୧ରୁ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ କରାଯିବ ବୋଲି ଶୁଣିବାକୁ ମିଳୁଥିଲା । ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ କେବଳ ଗାଡ଼ି ଲାଇସେନ୍ସ ଓ କାଗଜପତ୍ର ପ୍ରସ୍ତୁତି ପାଇଁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଥିଲା। ଉଭୟ ପୁଲିସ ଓ ପରିବହନ ବିଭାଗ ଗାଡ଼ି ଯାଞ୍ଚ କଡ଼ାକଡ଼ି କରିବା ସାଧାରଣ ଜନତା ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସାଧାରଣ ଲୋକଙ୍କ ଅସନ୍ତୋଷ ସରକାର ବିରୋଧରେ ଜନମତ ତୀବ୍ର କରିବାରୁ ଶେଷରେ ସରକାର ଏହି ପ୍ରକ୍ରିୟାକୁ ୩ମାସ ପାଇଁ କୋହଳ କରିଥିଲେ।

error: Content is protected !!