ଓଡ଼ିଶାର ଏହିସବୁ ସ୍ଥାନ ଅଟେ ପିକନିକ ପାଇଁ ଉପଯୁକ୍ତ ସ୍ଥାନ

ଏବେ ପିକନିକ ଋତୁ ଚାଲିଛି। ସମସ୍ତେ ନିଜ ନିଜ ସାଙ୍ଗସାଥୀ ଏବଂ ପରିବାର ସହ ବୁଲିବାକୁ ଯାଉଛନ୍ତି। କିଛି ଲୋକ ବଣ ଭୋଜି କରୁଥିବା ବେଳେ ଆଉ କିଛି ଲୋକ ଦର୍ଶନୀୟ ସ୍ଥାନ ବୁଲିବାକୁ ପସନ୍ଦ କରୁଛନ୍ତି। ଖାସ କରି ନୂଆ ବର୍ଷ ସମୟରେ ହିଁ ଲୋକେ ଅଧିକ ପିକନିକ ଯାଆନ୍ତି। ତେବେ ପିକନିକ ଯିବା ଆଗରୁ ପ୍ରଥମେ ସ୍ଥାନ ନିର୍ଦ୍ଧାରିତ କରିବାକୁ ପଡେ। ଆମ ଓଡ଼ିଶାରେ ଏପରି ବହୁତ ପ୍ରାକୃତିକ ସ୍ଥାନ ରହିଛି ଯାହାକୁ ଦେଖି ଆପଣ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ବଣଭୋଜି କରି ମଜା ନେଇ ପାରିବେ। ଆଜି ଆମେ ଆପଣଙ୍କୁ ଓଡ଼ିଶାର ସେହିପରି କିଛି ସ୍ଥାନ ଗୁଡିକ ବିଷୟରେ କହିବୁ। ତାହାଲେ ଆସନ୍ତୁ ଜାଣିବା ଓଡ଼ିଶାର ବିଭିନ୍ନ ପିକନିକ ସ୍ପଟ।

୧- ସାନ ଘାଗରା- ସାନ ଘାଗରା କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ। ଏଠାକୁ ବର୍ଷ ସାରା ଲୋକ ଆସନ୍ତି। ହେଲେ ଶୀତ ଦିନରେ ଏଠାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁତ ଲୋକ ଆସନ୍ତି। ଏହା ଏକ ପ୍ରାକୃତିକ ଝରଣା ଅଟେ। ବୁଲିବା ପାଇଁ ଏବଂ ବଣ ଭୋଜି ପାଇଁ ଉପଯୁକ୍ତ ସ୍ଥାନ ସାନ ଘାଗରା। ଝରଣା ସାଙ୍ଗକୁ ଲୋକେ ଏଠାରେ ବୋଟିଂର ମଜା ନେଇପାରିବେ।

୨- ଗୁଣ୍ଡିଚାଘାଇ- ଏହି ସ୍ଥାନଟି ମଧ୍ୟ କେଉଁଝର ଜିଲ୍ଲାର ଏକ ମୁଖ୍ୟ ଆକର୍ଷଣ ଅଟେ। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଆଭାସ ଦେଖିବାକୁ ମିଳେ। ବଣଭୋଜି କରିବାକୁ ଏଠାରେ ଅନେକ ସୁବିଧା କରାଯାଇଛି। ଏହା ବ୍ୟତୀତ ଏଠାରେ ନୂଆବର୍ଷରେ ମେଳା ମଧ୍ୟ ପଡେ ଯାହାକୁ ପର୍ଯ୍ୟଟକମାନେ ଦେଖି ଏହାର ମଜା ଉଠାଇପାରିବେ।

୩- ତପ୍ତପାଣି- ତପ୍ତପାଣି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ।ଏହା ଏକ ପ୍ରାକୃତିକ ସ୍ଥାନ। ଏଠାକୁ ଆସିଥିବା ଲୋକ ଏହାର ସୌନ୍ଦର୍ଯ୍ୟର ମଜା ଉଠାଇବା ସହ ଏକ ଶାନ୍ତ ପରିବେଶରେ ନିଜ ମନ ପ୍ରଫୁଲିତ କରାଇପାରିବେ। ଉଭୟ ଶିବ ପୀଠ ଏବଂ ମୃଗ ବିହାର ଏଠାରେ ଦେଖିବାକୁ ମିଳେ। ଏହାର ଆଉ ଏକ ମୁଖ୍ୟ ଆକର୍ଷଣ ଯେ, ଏଠାରେ ଉଷ୍ମ ପାଣି ବାହାରିଥାଏ ଯାହାର ମଜା ଶୀତଦିନରେ ଲୋକେ ଗାଧେଇ ଉଠାଇଥାନ୍ତି।

୪- ଜିରଙ୍ଗ ଏବଂ ଖସଡ଼ା- ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏହି ସ୍ଥାନ। ଏଠାରେ ଆପଣ ନେପାଳ ଭଳି ଅନୁଭବ ପାଇପାରିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହା ସହ ଏଠାରେ ବଣ ଭୋଜି କରିବାକୁ ଅନେକ ସ୍ଥାନ ରହିଛି।

୫- ଅଟ୍ରି- ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଉଷ୍ମ ପ୍ରଶୋବଣ ଅଟ୍ରି। ଏଠାରେ ବର୍ଷ ତମାମ ଉଷୁମ ପାଣି ରହିଥାଏ। ଲୋକେ ଶୀତଦିନେ ଆସି ଏଠାରେ ଉଷୁମ ପାଣିରେ ଗାଧୋଇ ଏହାର ମଜା ନିଅନ୍ତି। ଏହିଠାରେ ଭୋଜି କରିବା ପାଇଁ ଅନେକ ଖୋଲା ସ୍ଥାନ ରହିଛି।ଏହା ବ୍ୟତୀତ ପିଲାଙ୍କ ପାଇଁ ଦୋଳି ଏବଂ ପୁରୁଷ ମହିଳାଙ୍କ ପାଇଁ ଅଲଗା ଅଲଗା ଗାଧୋଇବା ପାଇଁ ସୁବିଧା ରହିଛି।

୬- ବରୁଣେଇ ପୀଠ- ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସ୍ଥାନ ଭିତରୁ ବରୁଣେଇ ପର୍ବତମାଳା ଅନ୍ୟତମ। ଏଠାରେ ବର୍ଷର ପ୍ରାୟ ସବୁ ସମୟରେ ଭୋଜି କରାଯାଏ। ପାହାଡ଼ ଏବଂ ଜଙ୍ଗଲର ପରିବେଶ ସହ ଆପଣ ଭୋଜି କରିବାର ମଜା ଉଠାଇ ପାରିବେ। ଏହା ସହ ଏବେ ସରକାରଙ୍କ ଦ୍ଵାରା ପାହାଡ଼ ଉପରକୁ ଗୋଟିଏ ରୋଡ଼ ତିଆରି କରାଯାଇଛି। ଏହା ଦ୍ୱାରା ଆପଣ ପାହାଡ଼ ଉପରକୁ ଯାଇ ପୁରା ସହରର ଭିଉ ଦେଖିପାରିବେ। ଏଠାରେ ସୀତାକୁଣ୍ଡ ଏବଂ ପାଣ୍ଡବ ଗୁମ୍ଫା ଆଦି ମଧ୍ୟ ରହିଛି ଯାହା ଏହାକୁ ପୌରାଣିକ ଶାସ୍ତ୍ରରେ ସ୍ଥାନ ଦେଇଛି। ଏହା ବ୍ୟତୀତ ଏଠାରେ ମା ବରୁଣେଇ ଏବଂ କରୁଣେଇ ପୂଜା ପାଇଥାନ୍ତି।

୭- ଗଣ୍ଡାହାତୀ ଜଳ ପ୍ରପାତ- ଏହା ଏକ ଏପରି ସ୍ଥାନ ଯେଉଁଠିକୁ ଆପଣ ଯେତେଥର ମଧ୍ୟ ଗଲେ ବୋର ହେବେ ନାହିଁ। ଏଠାରେ ଝରଣା ଏବଂ ପାହାଡ଼ର ଉପଯୁକ୍ତ ସମାହାର ଦେଖିବାକୁ ଆପଣ ପାଇବେ। ଏହି ସ୍ଥାନଟି ଗଜପତି ଜିଲ୍ଲାରେ ଅବସ୍ଥିତ। ଏଠାରେ ଦୋକାନ ବଜାର ପାଖରେ ଥିବା ହେତୁ ଭୋଜି କରିବାକୁ ଏଠାରେ କୌଣସି ଅସୁବିଧା ହୁଏନାହିଁ।

error: Content is protected !!